ରାଜଧାନୀ ଜୟପୁର ବିନ୍ଦାୟକା ଥାନା ଅଞ୍ଚଳରେ ଘଟିଛି ଅଭାବନିୟ ଘଟଣା । ଚର୍ଚ୍ଚିତ ‘ଦୃଶ୍ୟମ୍’ ଷ୍ଟାଇଲ୍ ହତ୍ୟା ମାମଲାରେ ତଦନ୍ତ ବେଳେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ପୁଲିସ ଅନୁଯାୟୀ, ଅଭିଯୁକ୍ତ ପ୍ରବେଶ କୁମାର ଓରଫ ହଗ୍ଗୁ ନିଜ ସମ୍ପର୍କୀୟ ଚାଚି ତଥା ଲିଭ୍-ଇନ୍ ପାର୍ଟନର କିରଣ ରାୱତଙ୍କୁ ଅନ୍ୟ ଜଣଙ୍କ ସହ ସମ୍ପର୍କ ଥିବା ସନ୍ଦେହରେ ହତ୍ୟା କରିଥିଲା । ସବୁଠାରୁ ଦୁଃଖଦ ଘଟଣା ହେଉଛି, ମୃତ କିରଣ ସେତେବେଳେ ଗର୍ଭବତୀ ଥିଲେ । ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ ହତ୍ୟା ପରେ ଅଭିଯୁକ୍ତ ଶବକୁ ଲୁଚାଇବା ପାଇଁ ଯେଉଁ ଘରେ ଭଡ଼ାରେ ରହୁଥିଲା, ସେହି ଘରର ଅଗଣାରେ ଗାତ ଖୋଳିଥିଲା । ସେହି ଗାତରେ କିରଣଙ୍କ ଶବକୁ ପୋତି ଦେଇଥିଲା । ଏହାପରେ ଶବ ଶୀଘ୍ର ପୋତି ହୋଇଯିବ ଏବଂ କାହାରି ସନ୍ଦେହ ହେବ ନାହିଁ ବୋଲି ଉପରେ ଲୁଣ ମଧ୍ୟ ପକାଇଥିଲା । ପୁଲିସର କହିବା ଅନୁଯାୟୀ, ହତ୍ୟା ପରେ ଅଭିଯୁକ୍ତ ଇଣ୍ଟରନେଟ୍ ଏବଂ ୟୁଟ୍ୟୁବ୍ରେ ଶବ କିପରି ଶୀଘ୍ର ଡିକମ୍ପୋଜ୍ ହୁଏ ଏବଂ ପ୍ରମାଣ କିପରି ନଷ୍ଟ କରାଯାଇପାରେ, ସେ ସମ୍ପର୍କିତ ଭିଡିଓ ଦେଖିଥିଲା । ଏଥିରୁ ଜଣାପଡ଼ୁଛି ଯେ ହତ୍ୟା ପରେ ପ୍ରମାଣ ଲୁଚାଇବା ପାଇଁ ସେ ଯୋଜନାବଦ୍ଧ ଭାବେ ପଦକ୍ଷେପ ନେଇଥିଲା ।
ପୁଲିସ ତଦନ୍ତ ଅନୁଯାୟୀ, ସେପ୍ଟେମ୍ବର ୨୩ ତାରିଖରେ ପ୍ରବେଶ ଏବଂ କିରଣଙ୍କ ମଧ୍ୟରେ କୌଣସି କଥାକୁ ନେଇ ବିବାଦ ହୋଇଥିଲା । ଏହାପରେ ଅଭିଯୁକ୍ତ ଗୋଟିଏ ହାତରେ କିରଣଙ୍କ ଗଳା ଚିପି ଧରିଥିଲା ଏବଂ ଅନ୍ୟ ହାତରେ ତାଙ୍କ ନାକ ଓ ପାଟି ଉପରେ କପଡ଼ା ରଖିଥିଲା। ଫଳରେ ଶ୍ୱାସରୁଦ୍ଧ ହୋଇ କିରଣଙ୍କ ମୃତ୍ୟୁ ହୋଇଥିବା ପୁଲିସ କହିଛି । ହତ୍ୟା ପରେ ପ୍ରବେଶ ଶବକୁ ଲୁଚାଇବା ପାଇଁ ଯୋଜନା ଆରମ୍ଭ କରିଥିଲା । ଘଟଣା ପରେ ସେ ସାମୋଦ ବାଲାଜୀଙ୍କ ପଦଯାତ୍ରାରେ ସାମିଲ ହୋଇଥିଲା । ଏହାପରେ ସେପ୍ଟେମ୍ବର ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ନିଜ ଫ୍ୟାକ୍ଟ୍ରିରେ ସାଧାରଣ ଭାବେ କାମ କରୁଥିଲା । ଯେପରି କାହାରି ତା’ ଉପରେ ସନ୍ଦେହ ନହୁଏ, ସେଥିପାଇଁ ସେ ସାଧାରଣ ଜୀବନଯାପନ କରୁଥିବା ଭଳି ଦେଖାଉଥିଲା ।
ସେପ୍ଟେମ୍ବର ୨୭ ତାରିଖରେ ଅଭିଯୁକ୍ତଙ୍କୁ ମାମଲା ପଦାକୁ ଆସିବାର ଆଶଙ୍କା ହୋଇଥିଲା । ଏହାପରେ ସେ ଫ୍ୟାକ୍ଟ୍ରି ମାଲିକଙ୍କଠାରୁ ୫୦୦ ଟଙ୍କା ନେଇ ଫେରାର ହୋଇଯାଇଥିଲା । ଅନ୍ୟପଟେ ପୁଲିସ ଘଟଣାସ୍ଥଳ ଆଖପାଖରେ ଲାଗିଥିବା CCTV କ୍ୟାମେରାର ଫୁଟେଜ୍ ଯାଞ୍ଚ କରିଥିଲା । ଏହା ସହିତ ବିଭିନ୍ନ ଟେକ୍ନିକାଲ୍ ସାକ୍ଷ୍ୟ ଆଧାରରେ ଅଭିଯୁକ୍ତଙ୍କ ଗତିବିଧି ଓ ରୁଟ୍ର ତଥ୍ୟ ପୁଲିସ ହାତରେ ଲାଗିଥିଲା । ଶେଷରେ ପୁଲିସ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରୁ ପ୍ରବେଶକୁ ଧରି ଗିରଫ କରିଥିଲା । ବର୍ତ୍ତମାନ ଅଭିଯୁକ୍ତକୁ ପଚରାଉଚରା କରାଯାଉଛି । ହତ୍ୟା ପଛରେ ଥିବା ସମ୍ପୂର୍ଣ୍ଣ କାରଣ, ଘଟଣାରେ ଆଉ କେହି ସାମିଲ ଥିଲେ କି ନାହିଁ ଏବଂ ଶବ ଲୁଚାଇବା ପାଇଁ ଅଭିଯୁକ୍ତ କେତେ ଦିନ ଧରି ଯୋଜନା କରିଥିଲା, ସେନେଇ ପୁଲିସ ତଦନ୍ତ ଜାରି ରଖିଛି ।
#newsfeed #rajasthan#case #PoliceAction #PoliceInvestigation #muder ##sahiltv