ବନ୍ୟାରେ ଉଜୁଡ଼ିଗଲା ଚାଷୀର ସୁନା ଫସଲ, ପାଣିରୁ ଅଣ୍ଡାଳି ଆଖିରୁ ଝରାଉଛି ଲୁହ।


ବର୍ଷା ଓ ବନ୍ୟାରେ ପ୍ରଭାବିତ ହୋଇଛି ୨୮ଟି ଜିଲ୍ଲା । ଶହ ଶହ ଏକର ଜମିରେ ସବୁଜ ଫସଲ ଉଜାଡ଼ିଛି । ପୂର୍ବ ମହାନଦୀ ବନ୍ୟା ପରେ ଅଣ୍ଟା ସଳଖିବାକୁ ଚେଷ୍ଟା କରିଥିବା ଚାଷୀର ମେରୁଦଣ୍ଡ ଏଥର ବନ୍ୟାରେ ପୁଣି ଦୋହଲିଯାଇଛି। ସେପଟେ ଉତ୍ତର ଓଡ଼ିଶାରେ ବି କ୍ଷତିଗ୍ରସ୍ତ ହୋଇଛି ଚାଷ ଓ ଚାଷୀ । ବିଭିନ୍ନ ଜିଲ୍ଲାରେ ସମ୍ପୂର୍ଣ୍ଣ ପାଣି ନିଷ୍କାସନ ପାଇଁ ଆହୁରି ସପ୍ତାହେ ଲାଗିପାରେ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ । ଯେଉଁ ଜମିରେ ଝାଳ ନିଗାଡ଼ିଥିଲା ଚାଷୀ, ଆଜି ସେଠି ଛଳ ଛଳ ଆଖିରେ ପାଣିରେ ଫସଲ ଅଣ୍ଡାଳୁଛି । ଉଜୁଡ଼ି ଯାଇଛି ସବୁଜ କିଆରୀ.. ଖିନଭିନ ହୋଇଯାଇଛି ସୁନାର କ୍ଷେତ । ପନିପରିବା ଚାଷ ପାଇଁ ଜଣାଶୁଣା କଟକ ଜିଲ୍ଲା ଆଠଗଡ଼ ବ୍ଲକ କଟକିଆସାହି ପଞ୍ଚାୟତର ଦୃଶ୍ୟ ଇଏ । ମହାନଦୀରେ ଛୋଟ ବନ୍ୟା, କିନ୍ତୁ ଚାଷୀ ସହିଛି ବଡ଼ କ୍ଷତି । ଏଥରକୁ ମିଶାଇ ବର୍ଷା ଓ ବନ୍ୟାରେ ପାଞ୍ଚ ପାଞ୍ଚ ଥର ପରିବା ଫସଲ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ କରିଛନ୍ତି ଚାଷୀ । ପୋଟଳ, ଜହ୍ନି, କାକୁଡ଼ି । ଦିନ କେଇଟା ପରେ ଅମଳ ହୋଇଥାନ୍ତା। ହାତକୁ କିଛି ଟଙ୍କା ଆସିଥାନ୍ତା । କିନ୍ତୁ ବନ୍ୟା ଦାଉ ସାଧିବା ପରେ, ଏବେ କିସ୍ତିରେ ଆଣିଥିବା ଋଣ ଟଙ୍କା କେମିତି ଶୁଝିବେ, ପରିବାର କେମିତି ଚଳାଇବେ, ତାକୁ ନେଇ ଚିନ୍ତାରେ ଘାରି ହେଉଛନ୍ତି ଚାଷୀ । ଏହି ଅଞ୍ଚଳରେ ଏକର ଏକର ଧାନ ଜମି ବି ପାଣିରେ ବୁଡ଼ି ରହିଥିବାରୁ ସେମାନଙ୍କ ଦୁଃଖ କହିଲେ ନସରେ । ଭଦ୍ରକରେ ନାଳିଆ ନଦୀ ଉଜାଡ଼ିଛି ଚାଷଜମି। ବନ୍ୟା ଛାଡ଼ିବା ପରେ ଦୁର୍ଦ୍ଦଶାରେ ଚାଷୀକୁଳ। ସାଳନ୍ଦୀ ନଦୀର ଶାଖା ନଦୀ ନାଳିଆ ନଦୀରେ ଆସିଥିବା ବନ୍ୟା ପାଣି ଭଦ୍ରକ ବ୍ଲକର ଅର୍ଣ୍ଣପାଳ ସହ ତିହିଡ଼ି ବ୍ଲକର ତଳଗୋପବିନ୍ଧା ଲୁଣିଆ ପଞ୍ଚାୟତରେ ହେକ୍ଟର ହେକ୍ଟର ଚାଷଜମି ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏହି ସବୁ ପଞ୍ଚାୟତରେ ଅଧିକାଂଶ ଚାଷୀ ଧାର କରଜ କରି ନିଜ ନିଜ ଚାଷଜମିରେ ପକେଇଥିବା ତଳି ନାଳିଆ ନଦୀ ବନ୍ୟା ପାଣିରେ ସମ୍ପୂର୍ଣ୍ଣ ନଷ୍ଟ ହୋଇପଡ଼ିଛି। ଫଳରେ ଏହି ଅଞ୍ଚଳର ଚାଷୀ ଏବେ ଚିନ୍ତାରେ। ସରକାରୀ ସହାୟତାକୁ ଅନେଇ ବସିଛନ୍ତି ଏହି ସବୁ ପଞ୍ଚାୟତର ଚାଷୀ।


ବର୍ଷା ଓ ବନ୍ୟାରେ ରାଜ୍ୟର ମୋଟ ୨୮ଟି ଜିଲ୍ଲା ଅଳ୍ପବହୁତ ପ୍ରଭାବିତ ହୋଇଛି ବୋଲି କହିଛନ୍ତି ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ । ସରକାରଙ୍କ ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ୨୬୧ କୋଟି ୩୭ ଲକ୍ଷ ଟଙ୍କା ଦିଆଯାଇଛି । ଏହି ଅର୍ଥରାଶି ବିଭିନ୍ନ ଜିଲ୍ଲାରେ କ୍ଷୟକ୍ଷତି ଅନୁପାତରେ ଆବଣ୍ଟନ କରାଯାଇଛି। କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ୱର ଆଦି ଜିଲ୍ଲାରେ ଏବେବି ବନ୍ୟା ପାଣି ଛାଡ଼ିନଥିବାରୁ, ସମସ୍ତ ଟଙ୍କା ଆବଣ୍ଟନ ସମ୍ଭବ ହୋଇପାରିନି । ପାଣି ସମ୍ପୂର୍ଣ୍ଣ ନିଷ୍କାସିତ ହେବାକୁ ଆହୁରି ୬ରୁ ୭ ଦିନ ସମୟ ଲାଗିପାରେ। ସରକାର ଦୁର୍ଗାପୂଜା ପୂର୍ବରୁ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଦେବାକୁ ସ୍ଥିର କରିଛନ୍ତି ।

Post a Comment

Cookie Consent
We serve cookies on this site to analyze traffic, remember your preferences, and optimize your experience.
Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.