ଭୁବନେଶ୍ୱର ଘାଟିକିଆରେ 'ବଜରଙ୍ଗୀ ଖେଳପଡ଼ିଆ' ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ।


ଭୁବନେଶ୍ୱର : ଆଉ ବସ୍ତି ନୁହେଁ ଏଣିକି ଆପାର୍ଟମେଣ୍ଟରେ ରହିବେ ବସ୍ତିବାସିନ୍ଦା । ଘର ସହ ମିଳିବ ଆପାର୍ଟମେଣ୍ଟର ସୁବିଧା । ଫ୍ଲାଟ୍, କମ୍ୟୁନିଟି ହଲ୍, ଖେଳପଡ଼ିଆ, ମାର୍କେଟ କମ୍ପ୍ଲେକ୍ସ ଏସବୁ ସୁଭିଧା ପାଇବେ ବସ୍ତିବାସିନ୍ଦା। ଆଉ ଏମିତି ଏକ ଆପାର୍ଟମେଣ୍ଟ ବା ନିବାସକୁ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ କେବଳ ବସ୍ତିବାସିନ୍ଦାଙ୍କ ଆବାସ ପ୍ରକଳ୍ପ ଉଦଘାଟନ କରିଛନ୍ତି ତା ନୁହେଁ, ପିଲାଙ୍କ ପାଇଁ ଖେଳପଡ଼ିଆ ମଧ୍ୟ ଉଦ୍ଘାଟନ କରିଛନ୍ତି । ଘାଟିକିଆରେ ଥିବା ବଜରଙ୍ଗୀ ଖେଳ ପଡିଆ ଉଦ୍ଘାଟନ କରିବା ସହ ନିଜେ ଫୁଟବଲ୍କୁ କିକ୍ ମାରି ଖେଳାଳିଙ୍କୁ ଉତ୍ସାହିତ କରିଛନ୍ତି । ରାଜଧାନୀ ଭୁବନେଶ୍ୱରରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଏବଂ ଯୁବପିଢ଼ିଙ୍କୁ ଖେଳକୁଦ ପାଇଁ ଉନ୍ନତ ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ ବିଭିନ୍ନ ଅଞ୍ଚଳ ଓ ବିଦ୍ୟାଳୟ ପରିସରରେ ମୋଟ୍ ୧୨ଟି ଖେଳ ପଡ଼ିଆରକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍ତି । ଏହି ଖେଳପଡ଼ିଆ ଗୁଡ଼ିକ ସ୍ଥାନୀୟ ଅଞ୍ଚଳର ଶିଶୁ, କିଶୋର, ଯୁବକ କ୍ରୀଡ଼ାପ୍ରେମୀଙ୍କୁ ଖେଳକୁଦ, ଶାରୀରିକ ବ୍ୟାୟାମ ଏବଂ କ୍ରୀଡ଼ାଭ୍ୟାସ ପାଇଁ ସୁଯୋଗ ଯୋଗାଇଦେବ ।ଏହାଦ୍ୱାରା ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି ସହ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହନ ମିଳିପାରିବ ବୋଲି ମେୟର କହିଛନ୍ତି । ୨୧ଟି ଖେଳ ପଡିଆର ଲକ୍ଷ୍ୟ ରଖାଯାଇଥିବା ବେଳେ ୧୭ଟି ପାଇଁ ସ୍ଥାନ ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୧୨ଟି ଉଦ୍ଘାଟିତ ହୋଇଛି । ଖେଳପଡ଼ିଆ ଉଦ୍ଘାଟନ ହୋଇଥିବାରୁ ଖୁସି ପ୍ରକାଶ କରିଛନ୍ତି ଖେଳାଳି । ଏହି ଖେଳପଡ଼ିଆ ସ୍ଥନୀୟ ବାସିନ୍ଦାଙ୍କ ପାଇଁ ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି ସ୍ଥାନୀୟ ପିଲାମାନେ । ଘାଟିକିଆ ସ୍ଥିତ ନୀଳକଣ୍ଠେଶ୍ୱର ଆବାସ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ୫.୨୭ ଏକର ଜମିରେ ଏହି ଆବାସ ନିର୍ମାଣ କରାଯାଇଛି। ଏହି ପ୍ରକଳ୍ପରେ ପ୍ରାୟ ୬୬.୫ କୋଟି ଟଙ୍କା ବ୍ୟୟ ହୋଇଛି ।ଏଠାରେ ମୋଟ୍ ୯୨୮ଟି ଆବାସିକ ଗୃହ ସହ ୩୨ଟି ଦୋକାନ ନିର୍ମାଣ କରାଯାଇଛି । ​​​​​​​ ତେବେ କେବଳ ଘଟିକିଆରେ ନୁହେଁ ଗାଡ଼କଣରେ ‘ମୁକ୍ତେଶ୍ୱର ରେସିଡେନ୍ସି’ ସୁଲଭ ଆବାସିକ ପ୍ରକଳ୍ପକୁ ମଧ୍ୟ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୋଟ ୬.୩୬ ଏକର ଜମିରେ ନିର୍ମିତ ୬୮୦ଟି ଘର ନିର୍ମାଣ କରାଯାଇଛି । ଘର ଭିତର ଓ ବାହାରେ ବିଜୁଳି, ପାଣି, ଶୌଚାଳୟ ସବୁ ସୁବିଧା ଅଛି।ପ୍ରତି ବ୍ଲକ୍ ଚାରି ମହଲାର (G+4) ରହିଛି । ବସ୍ତିବାସିନ୍ଦଙ୍କ ମଧ୍ୟ ସମ୍ମାନର ସହ ବଞ୍ଚିବାର ଅଧିକାର ରହିଛି । ଏଥିପାଇଁ ତାଙ୍କ ସୁସ୍ଥ ପରିବେଶ ଦେବା ପାଇଁ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବସ୍ତିବାସିନ୍ଦଙ୍କ ସ୍ଥାୟୀ ଘର ପ୍ରଦାନ କରୁଛନ୍ତି । ତେଣୁ ରାଜ୍ୟକୁ ବସ୍ତି ମୁକ୍ତ କରିବାର ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ଥିବା ସେ କହିଛନ୍ତି ।ଏହି ଆବାସ ଉଦ୍ଘାଟନ ଅବସରେ ହିତାଧିକାରୀଙ୍କ ଚାବି ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଘର ପାଇ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି ହିତାଧିକାରୀ । ଏହି ପ୍ରକଳ୍ପ ଛଡା ମୁଖ୍ୟମନ୍ତ୍ରୀ ସୁଲଭ ମୂଲ୍ୟରେ ଘର ଭଡା ଯୋଗାଇ ଦେବା ପାଇଁ ମଧ୍ୟ ଭଡ଼ା ଓ ଟ୍ରାଞ୍ଜିଟ୍ ଘର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପ୍ରକଳ୍ପରେ ମୋଟ୍ ୩୦୦ ଘର ନିର୍ମାଣ କରାଯାଇ ଭଡ଼ାରେ ପ୍ରଦାନ କରିବାର ଲକ୍ଷ୍ୟ ରହିଛି । ଆସନ୍ତା ୬ ମାସ ମଧ୍ୟରେ ଏହି ପ୍ରକଳ୍ପ ଶେଷ ହେବାର ଲକ୍ଷ୍ୟ ରଖାଯାଇଛି ।

Post a Comment

Cookie Consent
We serve cookies on this site to analyze traffic, remember your preferences, and optimize your experience.
Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.